ଗତକାଲି ଆମ ଓଡ଼ିଆ ଉଇକି ପରିବାରର ସଦସ୍ୟ ଶିତିକଣ୍ଠ ଦାସ, ଡ. ସୁବାସ ଚନ୍ଦ୍ର ରାଉତ, ଭାରତୀୟ ଜନସଂସ୍ଥାନ ସଂସ୍ଥାନର (IIMC) ଦୁଇ ପୂର୍ବତନ ଛାତ୍ରୀ ଆଦ୍ୟାବର୍ଷା ପ୍ରିୟଦର୍ଶିନୀ ଓ ଟୁଇଙ୍କିଲ ପଟ୍ଟନାୟକ (ଯେ ଟିକେ ବିଳମ୍ବରେ ଆସିଲେ!) ଓ ମୁଁ ଭୁବନେଶ୍ୱରର ମାସିକ ମେଳଣର ଆୟୋଜନ କରିଥିଲୁ । ଏଥିରେ ଆମେ ଅନ୍ୟାନ୍ୟ ବିଭିନ୍ନ ଆଲୋଚନା ସହିତ IIMCର ବିଗତ ୨ ବର୍ଷ ଭିତରେ ହୋଇଥିବା ଓଡ଼ିଆ ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ ବାବଦରେ ଆଲୋଚନା କରିଥିଲୁ । ଆଦ୍ୟା ଓ ଟୁଇଙ୍କିଲ ଦୁହେଁ ଏଥିରେ ଗତବର୍ଷ ଜଡ଼ିତ ଥିବାରୁ ସେମାନେ ଦେଇଥିବା କେତୋଟି ମତାମତ ଓ ଆମେ ସମସ୍ତେ ମିଳିତ ଭାବେ ଆଲୋଚନା କରିଥିବା କିଛି ଆମର ଆଗାମୀ କାର୍ଯ୍ୟକ୍ରମକୁ ଅଧିକ ବ୍ୟବସ୍ଥିତ କରିବ ବୋଲି ଆଶା କରି ଏଠାରେ ଉପସ୍ଥାପିତ କଲି ଯାହା ଆପଣମାନେ ବିଚାର କରି ନିଜର ମତ ଦେଇପାରିବେ: - ଆଗରୁ ହୋଇଥିବା ଉଇକିପିଡ଼ିଆ କାର୍ଯ୍ୟକ୍ରମରେ କର୍ମଶାଳାମାନଙ୍କ ଭିତରେ ଯେଉଁ ବ୍ୟବଧାନ ଥିଲା ସେଥିରେ ନୂଆ-ପୁରୁଣା ଉଇକିଆଳିଙ୍କ ଭିତରେ ବିଶେଷ କିଛି ଆଳାପ-ଆଲୋଚନା ହୋଇନଥିଲା । ଆଗକୁ ସେମାନେ କିପରି ନିୟମିତ ନିଜ ନିଜ ଭିତରର ନିୟମିତ ସମ୍ପର୍କରେ ରହିବେ ତାହାର ବ୍ୟବସ୍ଥା କରାଗଲେ ପୁରୁଖା ଉଇକିଆଳିମାନେ ନୂଆମାନଙ୍କୁ ଦୂରରେ ଥାଇ ଫେସବୁକ, ଚାଟ ଓ ମେଲ ମାଧ୍ୟମରେ ମଧ୍ୟ ସେମାନଙ୍କୁ ଅସୁବିଧା ବେଳେ ସାହାଯ୍ୟ କରିପାରିବେ । - ଗଣମାଧ୍ୟମ ଛାତ୍ରମାନଙ୍କର ମୂଳ ଆଗ୍ରହ ଥାଏ ସେମାନଙ୍କ ଶ୍ରେୟରେ, ଏପରିକି ଅନୁଷ୍ଠାନରୁ ପ୍ରକାଶିତ ଖବରକାଗଜରେ ମଧ୍ୟ ସେମାନଙ୍କ ନାମ ରହିଥାଏ । ଏ ଶ୍ରେୟସବୁ ସେମାନଙ୍କୁ ପରେ ଚାକିରୀ କ୍ଷେତ୍ରରେ ସାହାଯ୍ୟ କରେ । ଉଇକିପିଡ଼ିଆରେ ଏହାର ସୁବିଧା ନଥିଲେ ମଧ୍ୟ ଅନୁଷ୍ଠାନ ପକ୍ଷରୁ ମାନପତ୍ର ତଥା ପ୍ରକାଶିତ ଖବରକାଗଜରେ ଛାତ୍ରମାନେ ଗଢ଼ୁଥିବା ପ୍ରସଙ୍ଗ ସହିତ ସେମାନଙ୍କ ନାମ ପ୍ରକାଶ କରାଯାଇପାରିଲେ ପିଲାଙ୍କର ଆଗ୍ରହ ବଢ଼ିବ । - ଉଇକିପିଡ଼ିଆକୁ ଏକ ପାଠ୍ୟଖସଡ଼ା ବାହାରେ ଅଧିକ କାର୍ଯ୍ୟକ୍ରମ ବୋଲି ଏକ ଧାରଣା ତିଆରି ହୋଇଛି ଯାହାକୁ ପାଠ୍ୟ ଅନ୍ତର୍ଭୁକ୍ତ ହେବାଭଳି ଏକ ବ୍ୟବସ୍ଥା ତିଆରି କରାଯାଇପାରିଲେ ଛାତ୍ରମାନେ ତାହାକୁ ଅଧିକ ଗୁରୁତ୍ତ୍ୱ ଦେଇ ସମ୍ପାଦନା କରନ୍ତେ । - ପୁରୁଖା ଉଇକିଆଳି ଡ ସୁବାସ ରାଉତ, ଆଦ୍ୟା ଓ ଟୁଇଙ୍କିଲ ଏକମତରେ ଜଣାଇଥିଲେ ଯେ କେବଳ ପୁରୁଖା ଉଇକିଆଳି ନୁହଁନ୍ତି, ବରଂ ଅନୁଷ୍ଠାନର ପୁରୁଣା ଛାତ୍ର ଯେଉଁମାନେ ଆଗରୁ ଉଇକିପିଡ଼ିଆ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ଏବଂ ଏ ବର୍ଷର ଛାତ୍ରମାନଙ୍କ ସାଙ୍ଗେ ଉଣାଅଧିକେ ପରିଚିତ ସେମାନଙ୍କୁ ମଧ୍ୟ ନୂଆ ଛାତ୍ରଙ୍କୁ ତାଲିମ ଦେବାଲାଗି ନେବା ଉଚିତ । ପୁରୁଣା ଛାତ୍ରମାନେ ନୂଆ ଛାତ୍ରଙ୍କ ଭିତରେ ଉଇକିପିଡ଼ିଆରେ ସମ୍ପାଦନାକୁ ନେଇ କିଛି ଆଗ୍ରହ ତିଆରି କରିଛନ୍ତି ଯାହା ସେମାନେ କର୍ମଶାଳାମାନଙ୍କରେ ଶିକ୍ଷାଦାନ କରି ଆଗକୁ ମଧ୍ୟ ନେଇପାରିବେ । - ଶେଷରେ ସମସ୍ତେ ଅଧିକ ବ୍ୟବଧାନ ନ ରଖି ମାସରେ ଦୁଇଥର ଉଇକିପିଡ଼ିଆ କର୍ମଶାଳା କାର୍ଯ୍ୟକ୍ରମ କରାଯାଇପାରିଲେ ତାହା ଅଧିକ ଫଳପ୍ରଦ ହେବ ବୋଲି ମତପ୍ରକାଶ କରିଥିଲେ ।
*(ଏସବୁ ସହିତ, ଆମେ ସମସ୍ତେ ବର୍ଷା କମିବା ପରେ ଏକ ଉଇକି-ବଣଭୋଜିରେ ଯିବା ପାଇଁ ଯୋଜନା କରିଥିଲୁ । ଭୁବନେଶ୍ୱରର ଅନତି ଦୂରରେ ଥିବା ସ୍ଥାନ ଯଥା: ନନ୍ଦନକାନନ, ପୁରୁଣା ଭୁବନେଶ୍ୱରର ମନ୍ଦିର ଆଦି ସମ୍ବାବିତ ସ୍ଥାନମାନଙ୍କ ଭିତରେ ରହିଛି । ଏହି ବଣଭୋଜିରେ ଭୁବନେଶ୍ୱର ଉଇକି-ଟୁଙ୍ଗିର ପ୍ରଥମ ସଭ୍ୟ ପଞ୍ଜୀକରଣ ଆରମ୍ଭ ହେବ ।)*
ଏ ଉପର ଆଲୋଚନା ବାବଦରେ ଆପଣମାନଙ୍କ ବହୁମୂଲ୍ୟ ଅଭିମତ ନିଶ୍ଚୟ ଦେବେ ଯାହା ଆଗାମୀ କାମ ପାଇଁ ସହାୟକ ହେବ ।
ସୁଭ
-- Subhashish Panigrahi Programme Officer, Access To Knowledge Centre for Internet and Society @psubhashish